•  
  •  
  •  
  •  
  •  
  •  
  •  
  •  
  •  

କାନବେରା: ଲଣ୍ଡନରେ ଚାଲିଥିବା ଆଇସିସି ଓ୍ବାର୍ଲଡ କପ୍‌ କ୍ରିକେଟରେ ଗତକାଲି ଅଷ୍ଟ୍ରେଲିଆ ଭାରତ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିବା ବେଳେ ଭାରତ ଉତ୍ସବମୁଖର ହୋଇଉଠିଛି। ତେବେ ଏ ଖୁସିର ଜୁଆରରେ ଭଟ୍ଟା ଆଣିଛି ଅଷ୍ଟ୍ରେଲିଆ ଫେଡେରାଲ ପୁଲିସ (ଏଏଫପି)। ଭାରତୀୟ ଖେଳାଳିଙ୍କ ବିରୋଧରେ ସଙ୍ଗୀନ ଆପରାଧିକ ଅଭିଯୋଗ ଆଣିଛି ଏଏଫପି।

ଗତକାଲି କାନବେରା ଠାରେ ଥିବା ଏଡମଣ୍ଡ ବାର୍ଟନ ବିଲଡିଂରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଏଫପି ଆୟୁକ୍ତ ଆଣ୍ଡ୍ର‍୍ୟୁ କଲଭିନ୍‌ କହିଛନ୍ତି ଯେ, ଏଜେନ୍ସି ଭାରତୀୟ ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅପରାଧର ପ୍ରମାଣ ଭାବେ ଭାରତୀୟ ଗଣମାଧ୍ୟମକୁ ବ୍ୟବହାର କରିଛି ଏଜେନ୍ସି। ଏପରିକି ଏହି ତଥ୍ୟପ୍ରମାଣ ନଥିରେ ହିନ୍ଦୀ, ଇଂରାଜୀ ସମେତ କେତୋଟି ଓଡ଼ିଆ ଖବରକାଗଜର କଟିଂ ଓ ଟିଭି ଚ୍ୟାନେଲର ବୁଲେଟିନ୍‌ ସାମିଲ କରାଯାଇଛି। କଙ୍ଗାରୁ ଅଷ୍ଟ୍ରେଲିଆର ଜାତୀୟ ପଶୁ ହୋଇଥିବା ବେଳେ ଏଜେନ୍ସି ଭାରତୀୟ ଖେଳାଳିଙ୍କ ନାମରେ କଙ୍ଗାରୁ ଶିକାର ଭଳି ଗୁରୁତର ଅଭିଯୋଗ ଆଣିଛି ବୋଲି କଲଭନ୍‌ କହିଛନ୍ତି।

ଅନ୍ୟପଟେ ନାଲି କଙ୍ଗାରୁ ହେଉଛି ଅଷ୍ଟ୍ରେଲିଆର ଜାତୀୟ ପଶୁ। ଏଣୁ ବିରାଟ କୋହଲି ବାହିନୀ ନାଲି କଙ୍ଗାରୁ ଶିକାର କରିଛନ୍ତି କି ନାହିଁ ବୋଲି ଅଷ୍ଟ୍ରେଲିଆ ପ୍ରଥମେ ସ୍ପଷ୍ଟ କରୁ ବୋଲି ଭାରତର କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ଦାବି କରିଛନ୍ତି। ବିନା ତଥ୍ୟ ପ୍ରମାଣରେ ଅଷ୍ଟ୍ରେଲିଆ ଭାରର ଖେଳାଳିମାନଙ୍କୁ ବଦନାମ କରୁଛି ବୋଲି ରିଜିଜୁ ପାଲଟା ଅଭିଯୋଗ କରିଛନ୍ତି।

ରିଜିଜୁଙ୍କ ବକ୍ତବ୍ୟର ଉତ୍ତର ରଖିଛନ୍ତି ଅଷ୍ଟ୍ରେଲିଆର ଗୃହମନ୍ତ୍ରୀ ପିଟର ଡଟନ୍। ଡଟନ୍‌ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଭାରତୀୟ ଗଣମାଧ୍ୟମରୁ ତଥ୍ୟପ୍ରମାଣ ଉଦ୍ଧାର କରି ଆମର ତଦନ୍ତ ଅଧିକାରୀଙ୍କୁ ଦିଆଯାଇଛି। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ଯାଇ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ଖେଳାଳିମାନେ ଗତକାଲି କଙ୍ଗାରୁ ଶିକାର କରିଛନ୍ତି ବୋଲି ଆଜି ଭାରତର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏପରିକି କେତୋଟି ଓଡ଼ିଆ ଖବରକାଗଜରେ ମଧ୍ୟ ଏଭଳି ଖବର ପ୍ରକାଶ ପାଇଛି। ପୂର୍ବରୁ ରାଜସ୍ଥାନର ଯୋଧପୁରରେ କୃଷ୍ଣସାର ମୃଗ ଶିକାର କରି ଅଭିନେତା ସଲମାନ ଖାନ ଅଡ଼ୁଆରେ ପଡ଼ିଥିଲେ। ଗତକାଲିର କଙ୍ଗାରୁ ଶିକାର ପୁଣି ଥରେ ଭାରତୀୟ ସେଲିବ୍ରିଟିଙ୍କ ପାଇଁ ବିବାଦ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *