•  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ବିଜୁ ଜନତା ଦଳର ସମସ୍ତ ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାଙ୍କ ପାଇଁ ଏକ ୩ ମାସିଆ ପ୍ରଶିକ୍ଷଣ ବ୍ୟବସ୍ଥା କରିଛି ଦଳ। ଏଥିପାଇଁ ବ୍ରିଟିଶ୍ ଇନ୍ଷ୍ଟିଚ୍ୟୁଟ୍ ସହ ଦଳ ଅନୁବନ୍ଧିତ ହୋଇଛି। ଦଳର ସମସ୍ତ ମନ୍ତ୍ରୀ, ବିଧାୟକ,ମେୟର, ରାଜ୍ୟ କର୍ମକର୍ତ୍ତା, ମୁଖପାତ୍ର, ଜିଲ୍ଲା ସଭାପତି ଓ ସାଂସଦମାନଙ୍କୁ ମିଶାଇ ମୋଟ ୩୪୮ ଜଣ ଏହି ପ୍ରଶିକ୍ଷଣ ଯୋଜନାରେ ସାମିଲ ହେବେ। ବ୍ରିଟିଶ୍ ଇନ୍ଷ୍ଟିଚ୍ୟୁଟ୍ ମାତ୍ର ୩ ମାସ ମଧ୍ୟରେ ଏମାନଙ୍କୁ ଅନର୍ଗଳ ଇଂରାଜୀ କହିବା ଶିକ୍ଷାଦେବ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ରାଜନୀତିରେ ବିଜେଡିର ପତିଆରା ଭାଙ୍ଗିବା ପାଇଁ ଯୋରଦାର ଉଦ୍ୟମ ଚାଲିଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବରୁ ଛାମୁଆ ନେତା, ନିଜର ଉପଦେଷ୍ଟାଗଣ ଓ କିଛି ପ୍ରଭାବୀ ପ୍ରଶାସକଙ୍କ ଉପରେ ନିର୍ଭର କରି ନବୀନ ରାଜନୈତିକ ଗୋଟି ଚଳାଉଥିଲେ। ଦଳୀୟ କର୍ମକର୍ତ୍ତାଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ସମ୍ପର୍କ ନଥିଲା କହିଲେ ଚଳେ। ତେବେ ଏବେ ସେ ନିଜେ ସମସ୍ତଙ୍କ ସହ ସମ୍ପର୍କ ରଖି ଦଳକୁ ନିଜେ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଦଳୀୟ ପ୍ରତିନିଧି ଓ ଛାମୁଆ ସଂଗଠକମାନଙ୍କ ସହ ନିଜେ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ତେବେ ୧୧୭ ବିଧାୟକଙ୍କ ମଧ୍ୟରୁ ମାତ୍ର ୯ ଜଣ ତାଙ୍କ ସହ ଅନର୍ଗଳ ଇଂରାଜୀରେ କଥାବାର୍ତ୍ତା କରିପାରୁଛନ୍ତି। ଅନ୍ୟମାନେ କଥା କହିବା ଦୂର କଥା,ତାଙ୍କ ଇଂରାଜୀ କୁହାକୁ ବି ହଜମ କରିପାରୁନାହାନ୍ତି। ୧୧ ଜଣ ସାଂସଦ ମଧ୍ୟ ଅନୁରୂପ ଦଶା ହେତୁ ମୁଖ୍ୟମନ୍ତ୍ରୀଙ୍କ ସାମନାକୁ ଯିବାକୁ ଡରୁଛନ୍ତି। ଜିଲ୍ଲା ସଭାପତିମାନଙ୍କ କଥା ନ କହିବା ଭଲ। ରାଜ୍ୟ ସ୍ତରରେ ଦଳର ମଙ୍ଗ ସମ୍ଭାଳିଥିବା ସଂଗଠକମାନଙ୍କ ମଧ୍ୟରୁ ମଧ୍ୟ ଅଧିକାଂଶଙ୍କର ସମଦଶା। ଏଭଳି କ୍ଷେତ୍ରରେ ନବୀନ କିଭଳି ଦଳ ପରିଚାଳନା କରିବେ ଓ ମନ୍ତ୍ରଣା ଦେବେ ତାହା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ତୁରନ୍ତ ଏହି ନେତାମାନଙ୍କୁ ପ୍ରଶିକ୍ଷଣ ଦେଇ ଇଂରାଜୀରେ ପୋଖତ କରିବା ଲାଗି ନବୀନ ନିର୍ଦ୍ଦେଶ ଦେଇଛନ୍ତି।

୩୪୮ ଜଣ ନେତାଙ୍କୁ ମୋଟ ୮ଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି। ପ୍ରତି ଗୋଷ୍ଠୀରେ ଅନ୍ୟୁନ ୧୦ ଜଣ ବିଧାୟକ, ଜଣେ ମନ୍ତ୍ରୀ ଓ ୨ ଜଣ ସାଂସଦ ରହିବେ ବୋଲି ନବୀନ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଚମତ୍କାର ଇଂରାଜୀ କହୁଥିବା ନେତାମାନେ ମଧ୍ୟ ପ୍ରଶିକ୍ଷଣରେ ଭାଗନେବେ। ସେମାନେ ଅନନ୍ୟମାନଙ୍କ ସହ ଇଂରାଜୀରେ କଥାବାର୍ତ୍ତା କରି ସେମାନଙ୍କର ସାହସ ଓ ଦକ୍ଷତା ବଢ଼ାଇବାରେ ସହାୟକ ହେବେ। ୩ ମାସ ଯାଏଁ ପ୍ରଶିକ୍ଷଣ ବ୍ୟବସ୍ଥା ହୋଇଥିବା ବେଳେ ଇଂରାଜୀ ଜାଣିଥିବା ବିଧାୟକସାଂସଦମାନେ ପ୍ରଥମ ୧୫ ଦିନ ଭାଗନେବେ।

ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯିବ। ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଥରକେ ଗୋଟିଏ ଗୋଷ୍ଠୀ ଭାଗନେବେ। ସେମାନଙ୍କୁ ଭୁବନେଶ୍ବରର ଏକ ପଞ୍ଚତାରକା ହୋଟେଲରେ ରଖାଇ ପ୍ରଶିକ୍ଷଣ ଦିଆଯିବ। ୮ଟି ଗୋଷ୍ଠୀକୁ ଦୁଇବର୍ଷ ଲାଗିଯିବ। ତେବେ ୨୦୧୮ ଶେଷ ସୁଦ୍ଧା ସମସ୍ତଙ୍କୁ ଇଂରାଜୀରେ ପୋଖତ କରିବାର ଯୋଜନା ଥିବାରୁ, ପ୍ରଥମ ପ୍ରଶିକ୍ଷଣ ଆରମ୍ଭର ଏକ ମାସ ପରେ ସମାନ୍ତରାଳ ଭାବେ ଅନ୍ୟ ଏକ ହୋଟେଲରେ ଆଉ ଏକ ଗୋଷ୍ଠୀକୁ ପ୍ରଶିକ୍ଷଣ ଦିଆଯିବ। ପ୍ରଥମ କେନ୍ଦ୍ରରେ ୪ ଗୋଷ୍ଠୀ ୨୦୧୮ ଡିସେମ୍ବର ସୁଦ୍ଧା ପ୍ରଶିକ୍ଷଣ ପାଇବେ ଓ ଅନ୍ୟ କେନ୍ଦ୍ରଟିରେ ଆଉ ୪ ଗୋଷ୍ଠୀ ୨୦୧୮ ଜାନୁଆରି ସୁଦ୍ଧା ପ୍ରଶିକ୍ଷଣ ନେବେ।

ଏଭଳି ପ୍ରଶିକ୍ଷଣ ଯୋଜନାକୁ ଦଳୀୟ ନେତାମାନେ ସ୍ବାଗତ କରିଛନ୍ତି। ଭବିଷ୍ୟତରେ ଦଳର ସବୁ ନେତାଙ୍କ ପାଇଁ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ବିରୋଧୀଦଳମାନେ ବିଜେଡିର ଏ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସମସ୍ତ ନେତାଙ୍କୁ ଇଂରାଜୀ ପ୍ରଶିକ୍ଷଣ ନ ଦେଇ କେବଳ ନବୀନଙ୍କୁ ଅନର୍ଗଳ ଓଡ଼ିଆ କହିବା ଶିଖାଇଦେଲେ ତାହା ତାଙ୍କ ଦଳ ଓ ରାଜ୍ୟ ପାଇଁ ଅଧିକ ଲାଭଦାୟକ ହୁଅନ୍ତା ବୋଲି ବିରୋଧୀଏ କହିଛନ୍ତି।

Leave a Reply

Your email address will not be published. Required fields are marked *