•  
  •  
  •  
  •  
  •  
  •  
  •  
  •  
  •  

ସ୍ବାଗତଯୋଗ୍ୟ ପଦକ୍ଷେପ: ଯୋଗୀ ଆଦିତ୍ୟନାଥ

ଆମ ଦାବି ଆଗରେ ନଇଁଲେ ମୋଦି: ଅଖିଳେଶ

ଲକ୍ଷ୍ନୌ/ନୂଆଦିଲ୍ଲୀ: ଅହମ୍ମଦାବାଦମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଶୁଭାରମ୍ଭ ପରେ ଏବେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ଗୋରଖପୁର ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ଚଳାଇବାକୁ କେନ୍ଦ୍ର ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁଜ ସଂକେତ ମିଳିଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା ପ୍ରକାଶ ପାଇବ। ଏହି ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ଶାସନ ପାଇଁ ଅଧିକ ସମୟ ବ୍ୟୟ କରିପାରିବେ ବୋଲି ଆନନ୍ଦ ପ୍ରକଟ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଲେଟ ଟ୍ରେନ୍ ପ୍ରକଳ୍ପକୁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ବାକ୍ୟବୀର ଓ କୌଣସି ପ୍ରତିଶ୍ରୁତି ରଖୁନାହାନ୍ତି ବୋଲି ବିରୋଧୀ ସମାଲୋଚନା କରିଆସୁଥିଲେ। ତେବେ ଅହମ୍ମଦାବାଦରେ ବୁଲେଟ ଟ୍ରେନ୍ ପ୍ରକଳ୍ପର ଶୀଳାନ୍ୟାସ କରି ମୋଦି ବିରୋଧୀଙ୍କ ମୁହଁରେ ତାଲା ପକାଇ ଦେଇଛନ୍ତି।

ଉତ୍ତରପ୍ରଦେଶ ଦେଶର ସର୍ବବୃହତ୍ତ ଓ ଜନବହୁଳ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟରେ ପ୍ରଥମେ ବୁଲେଟ୍ ଟ୍ରେନ୍ ଚାଲୁ ବୋଲି ୨୦୧୪ ନିର୍ବାଚନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦାବି କରିଥିଲେ। ଖୋଦ୍ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରୁ ସାଂସଦ ନିର୍ବାଚିତ ହୋଇଥିବାରୁ ଏ ଦାବି ସେ ପୂରଣ କରି ରାଜ୍ୟବାସୀଙ୍କ ପ୍ରତି ତାଙ୍କ ଭଲପାଇବା ଦେଖାଇବା ଉଚିତ ବୋଲି ଅଖିଳେଶ ଯୁକ୍ତି ବାଢ଼ିଥିଲେ। ଅଖିଳେଶଙ୍କ ଦାବିକୁ ସେତେବେଳେ ରାଜ୍ୟର ବିଜେପି ନେତାମାନେ ମଧ୍ୟ ଏକପ୍ରକାର ପରୋକ୍ଷ ସମର୍ଥନ କରିଥିଲେ। ଚଳିତ ବର୍ଷ ବିଧାନ ସଭା ନିର୍ବାଚନ ବେଳେ ଏଭଳି କିଛି ଘୋଷଣା କରି ମୋଦି ରାଜ୍ୟବାସୀଙ୍କୁ ଆକୃଷ୍ଟ କରିବେ ବୋଲି ଦଳ ଆଶା କରିଥିଲା। ତେବେ ଉତ୍ତରପ୍ରଦେଶରେ ବିଜେପି ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିଲେ ହେଁ ବୁଲେଟ୍ ଟ୍ରେନ୍ ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତା ଉଭୟ ଶାସକ ଓ ବିରୋଧୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା।

ଗତ ମାସରେ ମୋଦିଙ୍କ ବାରଣାସୀ ଗସ୍ତ ସମୟରେ ଏ ସଂକ୍ରାନ୍ତରେ ବାରଣାସୀ ମଠ ଓ ମନ୍ଦିର ସୁରକ୍ଷା ପରିଷଦପକ୍ଷରୁ ତାଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ବର୍ଷର ଅଧିକାଂଶ ଦିନ ମୋଦି ବିଦେଶ ଗସ୍ତରେ ବ୍ୟସ୍ତ ରହୁଥିବାରୁ ନିଜ ନିର୍ବାଚନ ମଣ୍ଡଳୀକୁ ଆସିବାକୁ ପର୍ଯ୍ୟାପ୍ତ ସମୟ ପାଉନାହାନ୍ତି ବୋଲି ସେମାନେ ଦାବିପତ୍ରରେ ଉଲ୍ଲେଖ କରିଥିଲେ। ଦିଲ୍ଲୀରୁ ବାରଣାସୀ ବୁଲେଟ୍ ଟ୍ରେନ୍ ବ୍ୟବସ୍ଥା କରାଗଲେ ଏହା ମୋଦିଙ୍କ ପାଇଁ ସୁବିଧାଜନକ ହେବା ସାଙ୍ଗକୁ ନିର୍ବାଚନମଣ୍ଡଳୀ ବାସୀ ମଧ୍ୟ ତାଙ୍କୁ ଦେଖା କରିବା ପାଇଁ କମ ସମୟରେ ଦିଲ୍ଲୀ ଯାତ୍ରା କରିପାରନ୍ତେ ବୋଲି ସେମାନେ ଦାବି ରଖିଥିଲେ। ଉତ୍ତରପ୍ରଦେଶରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବାବଦରେ ସେ ଚିନ୍ତା କରିବେ ବୋଲି ମୋଦି ସେତେବେଳେ ଗଣମାଧ୍ୟମକୁ କହିଥିଲେ। ପରେ ପରେ ଅହମ୍ମଦାବାଦମୁମ୍ବାଇ ବୁଲେଟ୍ ଟ୍ରେନ୍ ଶିଳାନ୍ୟାସ କରି ମୋଦି ରାଜ୍ୟବାସୀଙ୍କୁ ପୁଣି ନିରାଶ କରିଥିଲେ। ମୋଦି ନିଜେ ପ୍ରତିନିଧିତ୍ବ କରୁଥିବା ରାଜ୍ୟର ସ୍ବାର୍ଥକୁ ପଛରେ ପକାଇ ନିଜ ରାଜ୍ୟ ଗୁଜୁରାଟର ସ୍ବାର୍ଥ କଥା ଅଧିକ ଚିନ୍ତା କରୁଛନ୍ତି ବୋଲି ବିରୋଧୀଦଳ ସମାଲୋଚନା କରିଥିଲେ। ଏବେ ଲକ୍ଷ୍ନୌଗୋରଖପୁର ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ସବୁଜ ସଂକେତ ଦେଇ ପ୍ରଧାନମନ୍ତ୍ରୀ ପୁଣି ବିରୋଧୀଙ୍କୁ ଝଟ୍କା ଦେଇଛନ୍ତି।

ନିଜର ସ୍ବାର୍ଥ ନୁହେଁ, ବରଂ ମୋଦି ରାଜ୍ୟର ସ୍ବାର୍ଥ ଚାହୁଛନ୍ତି ବୋଲି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗଣମାଧ୍ୟମକୁ କହିଛନ୍ତି। ସେଥିପାଇଁ ସେ ଦିଲ୍ଲୀବାରଣାସୀ ଦାବିକୁ ଏଡ଼ାଇ ଲକ୍ଷ୍ନୌ ଓ ଗୋରଖପୁର ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଳାଚଳକୁ ଅଧିକ ଗୁରୁତ୍ବ ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନୋଯାଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ମଠର ମହନ୍ତ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରୁଛନ୍ତି। ଏଥିପାଇଁ ତାଙ୍କୁ ବାରମ୍ବାର ଗୋରଖପୁର ଯିବାକୁ ପଡ଼ୁଛି। ନିକଟରେ ଦଶହରା ବିଧି ପାଳନ ପାଇଁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବରୁ ୫ ଦିନ ଅବ୍ୟାହତି ନେଇ ଗୋରଖପୁର ଯାଇଥିଲେ। ଏଥିପାଇଁ ତାଙ୍କ ସରକାର ଓ ବିଜେପିକୁ କଡ଼ା ସମାଲୋଚନାର ସାମନା କରିବାକୁ ପଡ଼ିଥିଲା। ଏସବୁକୁ ଦୃଷ୍ଟିରେ ରଖି ଲକ୍ଷ୍ନୌଗୋରଖପୁର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଅଧିକ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ବିଚାର କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କର ଏ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସ୍ବାଗତ କରିବା ସହ ଏହା ରାଜ୍ୟବାସୀଙ୍କ ପାଇଁ ମୋଦିଙ୍କର ସବୁଠୁ ବଡ଼ ଅବଦାନ ହେବ ବୋଲି ସେ କହିଛନ୍ତି।

ତେବେ ଏହା ତାଙ୍କ ସରକାରର ଦାବି ଥିଲା ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଅଖିଳେଶ ଯାଦବ ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ସମାଜବାଦୀ ପାର୍ଟିର ଦାବି ଆଗରେ ମୋଦି ମୁଣ୍ଡ ନୁଆଇଁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପଟେ ଲକ୍ଷ୍ନୌରୁ ଗୋରଖପୁର ବୁଲେଟ୍ ଟ୍ରେନ୍‌ର ଆଦୌ ଆବଶ୍ୟକତା ନାହିଁ ଏବଂ ଏହା ଅଯଥା ଅର୍ଥ ବ୍ୟୟ କହି ସମାଲୋଚନା କରିଛନ୍ତି କଂଗ୍ରେସ୍ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ। ବରଂ ଦିଲ୍ଲୀରୁ ରାୟବରେଲି ଦେଇ ଆମେଥି ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କରାଯାଉ ବୋଲି ରାହୁଳ ଦାବି ରଖିଛନ୍ତି।

Leave a Reply

Your email address will not be published. Required fields are marked *