•  
  •  
  •  
  •  
  •  
  •  
  •  
  •  
  •  

ଅର୍ଣବ ଗୋସ୍ବାମୀଙ୍କ ଶୋରେ ମତ ରଖିଲେ ପାକିସ୍ତାନୀ ବିଶେଷଜ୍ଞ

ଓ୍ବାସିଂଟନ୍ ଡିସି/ମୁମ୍ବାଇ: ଦିନକୁ ଏକାଧିକ ବାର ଦାଢ଼ି କ୍ଷୋର ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଣିକି ଦାଢ଼ି ବଢ଼ାଇବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ମିଳିଛି। ନିଜର ପୁରୁଣା ବାରିକଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁଇଜଣ ନୂଆ ବାରିକ ନିଯୁକ୍ତି କରିବାକୁ ରାଷ୍ଟ୍ରପତି ହ୍ବାଇଟ ହାଉସ୍ ପର୍ସନାଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆର ଏକଛତ୍ରବାଦ ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ୍‌ ଉନ୍‌ ତାଙ୍କୁ ପାତିମୁହାଁଧେକଡ଼ବୋଲି କହି ସମାଲୋଚନା କରିବା ପରେ ଟ୍ରମ୍ପ୍ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଟ୍ରମ୍ପଙ୍କର ଏ ନିଷ୍ପତ୍ତି ଆମେରିକା ଗଣମାଧ୍ୟମରେ ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଦାଢ଼ି ନ ବଢ଼ାଇ ବରଂ ସେ ତାଙ୍କ ମୁଣ୍ଡ ସାମ୍ନାର ଗହଳ କେଶଗୁଚ୍ଛକୁ କାଟି ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଭଳି ଛୋଟ ଚୁଟି ରଖିବା ଉଚିତ ବୋଲି କେତେକ ପ୍ରାଇମ୍ ଟାଇମ୍ ଟିଭି ତର୍କରେ ନିଷ୍କର୍ଷ ପ୍ରକାଶ ପାଇଛି। ସେହିପରି ଟ୍ରମ୍ପ ନିଜର ଚେହେରା ଉପରେ ଧ୍ୟାନ ନ ଦେଇ ଉତ୍ତର କୋରିଆ ଉପରେ ଆକ୍ରମଣ କରିବା ନିଷ୍ପତ୍ତି ନେଲେ ଅଧିକ ଭଲ ହୁଅନ୍ତା ବୋଲି କେତେକ ଗଣମାଧ୍ୟମ ମତ ଦେଇଛନ୍ତି।

କିଛି ଗଣମାଧ୍ୟମ ଟ୍ରମ୍ପଙ୍କ ସୁନ୍ଦରୀ ପତ୍ନୀଙ୍କ ଠାରୁ ଏ ବାବଦରେ ମତାମତ ଲୋଡ଼ିଛନ୍ତି। ଦାଢ଼ି ରଖିଲେ ଟ୍ରମ୍ପ ଅଧିକ ଯୁବକ ଓ ସୁନ୍ଦର ଲାଗିବେ ବୋଲି ତାଙ୍କ ପତ୍ନୀ ମତ ଦେଇଛନ୍ତି। ଟ୍ରମ୍ପ ଦାଢ଼ି ରଖିବା ଖବର ପ୍ରସାରିତ ହେବା ପରେ ପୁଣି ଗୁଗୁଲି ଛାଡ଼ିଛନ୍ତି ଉତ୍ତର କୋରିଆ ମୁଖ୍ୟ କିମ୍। ସେ କହିଛନ୍ତି, ‘ଟ୍ରମ୍ପ ମୋ ଭଳି ହେୟାର୍ କଟ୍ କଲେ ତାଙ୍କର ସଦ୍‌ବୁଦ୍ଧି ଉଦୟ ହେବ।

ଅନ୍ୟପଟେ ଟ୍ରମ୍ପଙ୍କ ଦାଢ଼ି ରଖିବା ପ୍ରସଙ୍ଗକୁ ନେଇ ଭାରତରେ ରିପବ୍ଲିକ୍ ଟିଭିରେ ବରିଷ୍ଠ ସାମ୍ବାଦିକ ଅର୍ଣବ୍ ଗୋସ୍ବାମୀ ଦୁଇଦିନ ଧରି ଘମାଘୋଟ ତର୍କ ଜାରି ରଖିଛନ୍ତି। ଟ୍ରମ୍ପ କାହିଁକି ଦାଢ଼ି ରଖିବେ ବୋଲି ଦେଶ ଜାଣିବାକୁ ଚାହୁଥିବା ସେ ବାରମ୍ବାର ରଡ଼ି କରି କହୁଛନ୍ତି। ତର୍କରୁ ଏଯାବତ୍ କୌଣସି ନିଷ୍କର୍ଷ ମିଳି ନଥିଲେ ହେଁ ମୋଦିଙ୍କ ଲୋକପ୍ରିୟତାକୁ ଅନୁକରଣ କରି ତାଙ୍କ ଭଳି ଟ୍ରମ୍ପ ସାମାନ୍ୟ ଦାଢ଼ି ବଢ଼ାଇବାକୁ ଚାହୁଥିବା କହିଛନ୍ତି ଅର୍ଣବ। ତାଙ୍କ ଟିଭି ବିତର୍କରେ ହ୍ବାଇଟ୍ ହାଉସ୍ ପ୍ରତିନିଧିଙ୍କୁ ଡକାଯାଇଥିଲେ ହେଁ ସେ କାହିଁକି ଆସିଲେ ନାହିଁ, ତାହା ମଧ୍ୟ ଦେଶ ଜାଣିବାକୁ ଚାହେ ବୋଲି ଅର୍ଣବ ନିଜ ଶୋରେ ଦାବି କରିଛନ୍ତି। ଗତକାଲି ସଂଧ୍ୟା ବିତର୍କରେ ଅର୍ଣବ୍ ଜଣେ ପାକିସ୍ତାନୀ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ବସାଇଥିଲେ। ଟ୍ରମ୍ପଙ୍କ ଦାଢ଼ି ରଖିବା ନିଷ୍ପତ୍ତି ଭାରତ ପ୍ରତି ସମର୍ଥନ ଓ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତି ସାଙ୍କେତିକ ପ୍ରତିବାଦ ବୋଲି ଅର୍ଣବ ଦାବି କରିଥିବା ବେଳେ ପାକିସ୍ତାନୀ ବିଶେଷଜ୍ଞ ଏହାକୁ ଅସ୍ବୀକାର କରିଛନ୍ତି। ଅନ୍ୟପଟେ ହାଫିଜ୍ ସୟିଦ୍ ଭଳି ଦାଢ଼ି ରଖିଥିବା ବହୁ ନେତା ଆତଙ୍କବାଦୀ ନୁହନ୍ତି ବୋଲି ଟ୍ରମ୍ପ ପରୋକ୍ଷ ଇଙ୍ଗିତ କରିଥିବା ମତ ରଖିଛନ୍ତି ପାକିସ୍ତାନୀ ବିଶେଷଜ୍ଞ। ଟ୍ରମ୍ପ୍ ଦାଢ଼ି ରଖନ୍ତୁ, କିନ୍ତୁ ନିଶ ନ ରଖିବା ଉଚିତ ବୋଲି ସେ ଅର୍ଣବ୍ଙ୍କ ଶୋରେ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *