•  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ତୈଳଦର ବୃଦ୍ଧି ପାଉଥିବା ବେଳେ, ଏହା ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶର ବିଭିନ୍ନ ସହରରେ ଏବେ ତୈଳଦର ୮୦ରୁ ୯୦ ଟଙ୍କା ଭିତରେ ରହିଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତୈଳ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବେପରୁଆ ମନଭାବ ବିରୋଧୀଙ୍କୁ ବି ବିସ୍ମିତ କରିଛି। ଅନ୍ୟପଟେ ତୈଳ ଦରବୃଦ୍ଧି ପଛରେ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି)ର ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ ଆମର ଦିଲ୍ଲୀ ପ୍ରତିନିଧି ଭବନାଥ ପାଇଥିବା ତଥ୍ୟ ମୁତାବକ, ତୈଳ ଦରବୃଦ୍ଧି ହେଉଛି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ବିରୋଧରେ କ୍ଷମତାଲିପ୍ସୁ ନେତୃବୃନ୍ଦଙ୍କର ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର। ୨୦୧୩ ମସିହ ପର୍ଯ୍ୟନ୍ତ ଆଡଭାନୀଙ୍କ ନାମ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ବେଳେ, ବିଜେପିର ଗୋଆ ରାଷ୍ଟ୍ରୀୟ ଅଧିବେଶନରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଦଳ। ଏହା ପଛରେ ଏକ ଷଡ଼ଯନ୍ତ୍ର ଥିଲା ବୋଲି ପରେ ଚର୍ଚା ହୋଇଥିଲା। ଅନୁରୂପ ଭାବେ ୨୦୧୭ ଜୁଲାଇ ମାସରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁନର୍ବାର ଆଡଭାନୀଙ୍କ ନାମ ଚର୍ଚାକୁ ଆସିଥିଲା। ତେବେ ଏହାର ଠିକ ଦୁଇ ମାସ ପୂର୍ବରୁ ବାବ୍ରି ମସ୍ଜିଦ୍‌ ମାମଲାରେ ସୁପ୍ରିମ କୋର୍ଟ ଆଡଭାନୀଙ୍କୁ ଷଡ଼ଯନ୍ତ୍ରକାରୀ ଭାବେ ଘୋଷଣା କରିଥିଲା। ଆଡଭାନୀଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ବ ସମ୍ଭାବନାକୁ ପଣ୍ଡ ପରିବା ପାଇଁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଷଡ଼ଯନ୍ତ୍ର ବୋଲି ସେତେବେଳେ ବିରୋଧୀମାନେ ଅଭିଯୋଗ ବାଢ଼ିଥିଲେ।

ଏବେ ଅଣାୟତ ତୈଳ ଦରବୃଦ୍ଧିକୁ ନେଇ ପୁଣି ଆଡଭାନୀଙ୍କ ନାମ ଚର୍ଚାକୁ ଆସିଛି। ଅସଲରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏତେ ମାତ୍ରାରେ ବୃଦ୍ଧି ପାଇନଥିବା ବେଳେ ଭାରତରେ କାହିଁକି ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବୋଲି ବିଶିଷ୍ଟ ତୈଳ ବିଶାରଦମାନେ ପ୍ରଶ୍ନ କରିଛନ୍ତି। ଆମର ଦିଲ୍ଲୀ ପ୍ରତିନିଧି ଭବନାଥଙ୍କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବିରୋଧୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ,

ତୈଳ ଦରବୃଦ୍ଧି, ବୟୋଜ୍ୟେଷ୍ଠ ରାଜନୀତିଜ୍ଞ ଲାଲକୃଷ୍ଣ ଆଡଭାନୀଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ହେବାରୁ ବଞ୍ଚିତ ଆଡଭାନୀ ଆଉ ମାତ୍ର ଆଠ ବର୍ଷ ପରେ ଶତାୟୁ ହେବେ। ତେବେ ଆଡଭାନୀ ଶହେ ଛୁଇଁ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିବା ଆଗରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଶହେ ପାର କରାଇବାକୁ ଷଡ଼ଯନ୍ତ୍ର ଚାଲିଛି।

ସୂଚନାଯୋଗ୍ୟ, ଗତ ବର୍ଷ ଆଡଭାନୀ ୯୦ ବର୍ଷ ଅତିକ୍ରମ କରିଥିବା ବେଳେ ତାହା ପୂର୍ବରୁ ପେଟ୍ରୋଲ ଡିଜେଲ ଦର ୯୦ ଡିଆଇଁବାରେ ବିଫଳ ହୋଇଥିଲା ପେଟ୍ରୋଲିଅମ ମନ୍ତ୍ରାଳୟ। ଏଥିପାଇଁ ବିଭାଗୀୟ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଓ ଦଳ ମୁଖିଆଙ୍କ ରୋଷର ଶିକାର ହୋଇଥିଲେ। ଆଡଭାନୀ ୯୫ ଛୁଇଁବା ଆଗରୁ ତୈଳଦର ୧୦୦ ଡିଆଇଁବାକୁ ବିଭାଗକୁ ଟାର୍ଗେଟ୍‌ ଦିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି, ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ବର୍ଷ ଏବଂ ଆଜାଦ ହିନ୍ଦ ଫୌଜର ୭୫ ବର୍ଷ ପାଳନ ଭଳି ତୈଳ ଦର ୧୦୦ ଡେଇଁବା ପରେ ଦେଶବ୍ୟାପୀ ଉତ୍ସବ ପାଳନ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି।

Leave a Reply

Your email address will not be published. Required fields are marked *