•  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ବୈକୁଣ୍ଠରେ ବିଷ୍ଣୁଙ୍କର ମାନସ ସନ୍ତାନ ଚାରି କୁମାରଙ୍କୁ ବିରୋଧ କରିବା ଜୟ-ବିଜୟଙ୍କ ପାଇଁ କାଳ ହେଲା। କୁମାରମାନେ ଦେଲେ ଅଭିଶାପ- ଦେବତା କ୍ଷମତା ଓହରିଯିବ, ତୁମେ ଦୁହେଁ ସାଧାରଣ ମଣିଷ ହୋଇ ମର୍ତ୍ତ୍ୟ ଗମନ କରିବ। ଅଭିଶାପ ପାଇବା ପରେ ଜୟ-ବିଜୟଙ୍କର ଭାଳେଣି ପଡ଼ିଲା; କେମିତି ପାଇବେ ମୋକ୍ଷ? ବିଷ୍ଣୁ କହିଲେ- ମୋର ମାନସପୁତ୍ରଙ୍କ ଅଭିଶାପ ଫେରସ୍ତ ଅସମ୍ଭବ। ତେବେ ସେ ଦେଲେ ଦୁଇଟି ବିକଳ୍ପ- ୭ଟି ଜନ୍ମ ଯାଏଁ ମର୍ତ୍ତ୍ୟରେ ମୋର ଭକ୍ତ ହୁଅ, ନ ହେଲେ ତିନୋଟି ଜନ୍ମ ମୋର ଶତ୍ରୁ ହୋଇ ଜନ୍ମ ନିଅ। ମୋକ୍ଷ ପାଇଁ ଜୟ-ବିଜୟ ଏତେ ବ୍ୟଗ୍ର ଥିଲେ ଯେ ଦ୍ବିତୀୟ ବିକଳ୍ପଟି ବାଛିଲେ। ସତ୍ୟ, ତ୍ରେତୟା ଓ ଦ୍ବାପର ଯୁଗରେ ବିଷ୍ଣୁ-ଶତ୍ରୁ ହୋଇ ଶେଷରେ ଉଭୟେ ମୋକ୍ଷ ପାଇଲେ।

ଏ ସିନା ସତ୍ୟ ଯୁଗର କଥା। ଏବେ ପରା କଳି ଯୁଗ ଚାଲିଛି। ଏବେ ଶଙ୍ଖାଧିପତି ସ୍ବୟଂ ବାବୁ ନବୀନ ହେଲେ ଚଳନ୍ତି ବିଷ୍ଣୁ। ଆଜୀବନ କୁମାର ବାବୁ ନବୀନଙ୍କର ସିନା ପିଲାପିଚିକା ନାହାନ୍ତି, କିନ୍ତୁ ମାଳମାନ ମାନସ ସନ୍ତାନ। ଏକଦା ନବୀନଙ୍କ ରାଜତ୍ବରେ ଏକକ କୁମାର ଭାବେ ତାଙ୍କ ବୈକୁଣ୍ଠରେ ଅବାଧ କ୍ଷମତା ଭୋଗ କରୁଥିବା ବାବୁ ପ୍ୟାରୀଙ୍କ ଅଭିଶାପ ବଳରେ ବିଜୟ ମର୍ତ୍ତ୍ୟବାସୀ ହୋଇଥିଲେ। ଆଉ ବାବୁ ଜୟ ଚଳନ୍ତି ବିଷ୍ଣୁଙ୍କ ବର୍ତ୍ତମାନର ନୂଆ ମାନସ ସନ୍ତାନ ପ୍ରବଳ ପ୍ରତାପୀ ମାହାଙ୍ଗା-ମୁରବି ପ୍ରତାପ ଓ ଦକ୍ଷିଣ-ଦାୟାଦ ବାବୁ ପାଣ୍ଡିଆଙ୍କ କୋପର ଶିକାର ହୋଇଛନ୍ତି।

ଚର୍ଚ୍ଚା ହେଉଛି, ବାବୁ ବିଜୟ ଶୀଘ୍ର ମୋକ୍ଷ ପାଇବା ଆଶାରେ ବିଜେଡି-ବିଷ୍ଣୁଙ୍କର ଶତ୍ରୁତା ଆଚରଣ କରିଥିଲେ। ଏନସିପି, ଓଜିପି ଓ ବିଜେପିରେ ରହି ତିନିବାର ଶତ୍ରୁତା ଆଚରଣ କରି ସାରିଥିବା ବିଜୟ ଏଥର ମୋକ୍ଷ ପାଇବେ ବୋଲି ଯୋର୍‌ ଆଲୋଚନା ହେଉଛି। ଅନେକ ବୈକୁଣ୍ଠବାସୀ ତାଙ୍କର ପୁରୁଣା ଦ୍ବାରରକ୍ଷକଙ୍କୁ ଫେରାଇ ଆଣିବାକୁ ଇଚ୍ଛୁକ ଥିଲେ ବି ବିଷ୍ଣୁ କାହିଁକି ବିଜୟଙ୍କୁ ବୈକୁଣ୍ଠକୁ ଫେରାଇ ଆଣୁନାହାନ୍ତି ତାହା ସେମାନଙ୍କୁ ବି ଆଶ୍ଚର୍ଯ୍ୟ କରିଛି।

ଅନ୍ୟପଟେ ଏବେ କ୍ଷମତା ବିହୀନ ହୋଇ ମଧ୍ୟ ବୈକୁଣ୍ଠ ଛାଡ଼ି ପାରୁନାହାନ୍ତି କି ମର୍ତ୍ତ୍ୟକୁ ଆସି ପାରୁନାହାନ୍ତି ବାବୁ ଜୟ। ସେ ଶତ୍ରୁତା ଆଚରଣ କରିବେ କି ମିତ୍ର ହୋଇ ରହିବେ ନିଷ୍ପତ୍ତି ନେଇପାରୁ ନଥିବା ଜଣାପଡ଼ୁଛି।

ତେବେ ନିକଟରେ ମର୍ତ୍ତ୍ୟ ଭ୍ରମଣରେ ଆସିଥିବା ଆମ ପ୍ରିୟ ନାରଦଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ- ଜୟ ଓ ବିଜୟ ଆଦୌ ବୈକୁଣ୍ଠକୁ ନ ଆସନ୍ତୁ ବୋଲି ଚାହୁଛନ୍ତି ଦୁଇ କୁମାର ପ୍ରତାପ ଓ ପାଣ୍ଡିଆ।

Leave a Reply

Your email address will not be published. Required fields are marked *