•  
  •  
  •  
  •  
  •  
  •  
  •  
  •  
  •  

ଲସ୍‌ ଆଞ୍ଜେଲସ/ଭୁବନେଶ୍ବର:

ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଉ ଗୌରବର ଖବର। ଆମ ସିନେମା ଶିଳ୍ପର ଆଗଧାଡ଼ିର ଅଭିନେତା ମିହିର ଦାସ ହଲିଉଡ ସିନେମାରେ ଅଭିନୟ କରୁଛନ୍ତି। ସିନେମାର ନାଁ ରହିଛି ‘ଏକ୍ସକ୍ୟୁଜ୍‌ ମି’। ହଲିଉଡ ସିନେମାରେ ସୁଯୋଗ ପାଇବାରେ ମିହିର ହେଉଛନ୍ତି ପ୍ରଥମ ଓଡ଼ିଆ।

‘ଏକ୍ସକ୍ୟୁଜ୍‌ ମି’ ସିନେମା ପୋଷ୍ଟର

ଏ ଖବର ଜଣାପଡ଼ିବା ପରେ କେବଳ ଓଡ଼ିଆ କାହିଁକି, ଭାରତୀୟ ସିନେମା ଜଗତରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ, ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ନୂଆ କରି ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ହୋଇଥିବା କୁନା ତ୍ରିପାଠୀଙ୍କ ପର୍ଯ୍ୟନ୍ତ ସମସ୍ତେ ମିହିର ଦାସଙ୍କ ବିଶ୍ବ ସିନେମା ଜଗତରେ ଐତିହାସିକ ପ୍ରବେଶ ନେଇ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଭୁବନେଶ୍ବର ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେଠାରେ ମିହିର ଦାସଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ଶ୍ରୀ ପଣ୍ଡା ଖୁସି ଗଦଗଦ ହୋଇ ସାମ୍ବାଦିକମାନଙ୍କୁ କହିଛନ୍ତି,

ମିହିର ବାବୁ ଓଡ଼ିଆ ସିନେମା ଜଗତର ଜଣେ ନାଁକରା ଅଭିନେତା। ତେବେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସଂସ୍କୃତି ପ୍ରତି ଉଦାସୀନତା ହେତୁ ତାଙ୍କ ଭଳି ଜଣେ ବିଶ୍ବସ୍ତରୀୟ ପ୍ରତିଭାଙ୍କୁ ଏଠାରେ ପର୍ଯ୍ୟାପ୍ତ ସୁଯୋଗ ମିଳି ପାରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିହିର ଦାସଙ୍କ ଏକ ଟିଭି କାର୍ଯ୍ୟକ୍ରମ ଦେଖି ଭାବବିହ୍ବଳ ହୋଇ ଯାଇଥିଲେ। ମିହିର ବାବୁ ହଲିଉଡ୍‌ ପାଇଁ ଯୋଗ୍ୟ ବୋଲି ପ୍ରଧାନମନ୍ତ୍ରୀ ସେତେବେଳେ ମତ ରଖିଥିଲେ। ଏ ନେଇ ଆମରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ନିଜେ ମୋଦିଜୀ କଥା ହେବା ପରେ ମିହିର ବାବୁଙ୍କୁ ଏ ବିରଳ ସୁଯୋଗ ମିଳିଛି।

ସୂଚନାଯୋଗ୍ୟ କିଛି ମାସ ତଳେ ମିହିର ଦାସ ବିଜେପିରେ ଯୋଗଦେଇଥିଲେ। ଜଣେ ଅଭିନେତା-ରାଜନେତା ଭାବେ ବିଜେପୁର ଉପନିର୍ବାଚନରେ ଦଳ ତାଙ୍କୁ ତାରକା ପ୍ରଚାରକ କରିଥିଲା।
ମିହିର ଦାସ ଆମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,

ଏକ୍ସକ୍ୟୁଜ୍‌ ମି ଚଳଚ୍ଚତ୍ରରେ ଅଭିନୟ କରିବା ମୋ ପାଇଁ ଏକ ବିରଳ ସୁଯୋଗ। ଏଭଳି ସୁଯୋଗ ଆଣି ଦେଇଥିବାରୁ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ମୁଁ କୃତଜ୍ଞ।

ଓଡ଼ିଆ ଭାଷାର ସିନେମା ଉପରେ ନିଜର ଅଭିମତ ରଖି ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଆ ଭାଷା ଏକ କ୍ଷୁଦ୍ର ଆଞ୍ଚଳିକ ଭାଷା। ଏଠାରେ ଭଲ ଅଭିନେତା ଓ ନିର୍ମାତା ଥିଲେ ମଧ୍ୟ ଓଡ଼ିଆ ସଂକୀର୍ଣ୍ଣତା ପାଇଁ ଭଲ ସିନେମା ତିଆରି ହୋଇ ପାରୁନାହିଁ। ‘ଏକ୍ସକ୍ୟୁଜ୍‌ ମି’ ଚଳଚ୍ଚିତ୍ର ଭଳି ଧମାକାଦାର ବିଶ୍ବସ୍ତରୀୟ ସିନେମା କରିବା ପାଇଁ ଓଡ଼ିଆ ନିର୍ମାତା ଓ ନିର୍ଦ୍ଦେଶକ ମାନେ ଆଗେଇ ଆସନ୍ତୁ ବୋଲି ମିହିର ଆହ୍ବାନ କରିଛନ୍ତି।

ନିଜର ପ୍ରଥମ ହଲିଉଡ ଚଳଚ୍ଚିତ୍ର ବାବଦରେ ମତ ରଖି ମିହିର ଦାସ କହିଛନ୍ତି,

ଏକ୍ସକ୍ୟୁଜ୍‌ ମି ଚଳଚ୍ଚିତ୍ରର ନାମ ଓ ପୋଷ୍ଟର ଦେଖି ଆପଣ ଏହା କେତେ ଦମଦାର ହେବ ବୁଝି ପାରୁଥିବେ। ଏ ସିନେମା ମାଧ୍ୟମେର କେଳ ମୁଁ ନୁହେଁ, ଏକାଧିକ ଓଡ଼ିଆ ଲୋକ ହଲିଉଡ ଶିଳ୍ପରେ ପ୍ରବେଶ ସୁଯୋଗ ପାଇବେ।

ସିନେମାଟି ଏକାଧିକ ବିଭାଗରେ ଓସ୍କାର ଏକାଡେମୀ ପୁରସ୍କାର ଲାଭ କରିବ ଓ ସେ ନିଜେ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାସଲ କରିବେ ବୋଲି ମିହିର ଦୃଢ଼ୋକ୍ତି ବାଢ଼ିଛନ୍ତି।
ସୂଚନାଯୋଗ୍ୟ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡ଼ିଆ ନିର୍ଦ୍ଦେଶକ ଉମେଶ ଦାଶ। ଏହାର ନୃତ୍ୟ ସଂଯୋଜନା କରୁଛନ୍ତି ପ୍ରସିଦ୍ଧ ଯୋଡ଼ି ଲୁବୁନ୍-ଟୁବୁନ୍। ସଂଜୟ ମହାକୁଳଙ୍କ ଦମଦାର କାହାଣୀକୁ ନେଇ ‘ଏକ୍ସକ୍ୟୁଜ୍‌ ମି’କୁ ନିର୍ମାଣ କରୁଛନ୍ତି ହଲିଉଡର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ରୋନକ୍‌ ଦାଶ। ପ୍ରସିଦ୍ଧ ଓଡ଼ିଆ ସଂଗୀତଜ୍ଞ ଶରତ ନାୟକ ଏହି ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେବେ।

କାହାଣୀ ଗୁପ୍ତ ରଖାଯାଇଥିଲେ ହେଁ ଏହି ସିନେମାରେ ମିହିର ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *