•  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରର ଉଜ୍ଜ୍ବଳାଢାଞ୍ଚାରେ ରାଜ୍ୟରେ ନିର୍ଜଳାଯୋଜନା ପାଇଁ ଦାମ ରାଉତଙ୍କ ପ୍ରସ୍ତାବ

ଭୁବନେଶ୍ବର: ସାଧାରଣ ଜନତାଙ୍କ ନିଶାପାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଭ୍ରାମ୍ୟମାଣ ମଦ ଦୋକାନ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ଥାୟୀ ମଦ ଦୋକାନ ପ୍ରତିଷ୍ଠାକୁ ବିଭିନ୍ନ ଅଞ୍ଚଳରେ ପ୍ରବଳ ବିରୋଧ କରାଯିବା, ମହିଳା କର୍ମୀଙ୍କ ଦ୍ବାରା ମଦ ଦୋକାନ ଭଙ୍ଗାଯିବା ଏବଂ ସର୍ବୋପରି ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶରେ ଜାତୀୟ ରାଜପଥ କଡ଼ରେ ମଦ ଦୋକାନ ବନ୍ଦହେବା ଯୋଗୁଁ ସରକାର ପ୍ରବଳ ରାଜସ୍ବ ହରାଉଛନ୍ତି। ମଦଅଭ୍ୟସ୍ତ ଜନତା ମଧ୍ୟ ଏହା ଦ୍ବାରା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଭ୍ରାମ୍ୟମାଣ ମଦ ଦୋକାନ ହିଁ ଏ ସମସ୍ତ ସମସ୍ୟାର ସମାଧାନ କରିପାରିବ ବୋଲି ସରକାର ଆଶାପୋଷଣ କରିଛନ୍ତି। ଦେଶରେ ଏଭଳି ବ୍ୟବସ୍ଥା ପ୍ରଚଳନରେ ଓଡ଼ିଶା ପ୍ରଥମ ରାଜ୍ୟ।

ଗଣମାଧ୍ୟମକୁ ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ‘ଜାତୀୟ ରାଜପଥ କଡ଼ରେ ମଦ ଦୋକାନ ବନ୍ଦ ହେବା ଦିନ ଠାରୁ ସରକାର କିଛି ବିକଳ୍ପ ବ୍ୟବସ୍ଥା ବାବଦରେ ଚିନ୍ତା କରି ଆସୁଥିଲେ। ରାଜ୍ୟ ସରକାରଙ୍କ ଦାବି ପରେ ଏବେ ସହରାଞ୍ଚଳରେ ରାଜପଥ କଡ଼ ମଦ ଦୋକାନଗୁଡ଼ିକ ପୁନଃ ଖୋଲିଥିଲେ ହେଁ, ତାହା ଜନତାଙ୍କ ଆବଶ୍ୟକତା ପୂରଣରେ ସମର୍ଥ ହେଉନାହିଁ। ଏଣୁ ଭ୍ରାମ୍ୟମାଣ ମଦସେବା ହିଁ ଏକମାତ୍ର ବିକଳ୍ପ।

ସେ ପୁନଶ୍ଚ କହିଛନ୍ତି ଯେ, ଏହି ଭ୍ରାମ୍ୟମାଣ ଗାଡ଼ି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ସଭାସମିତି, ମେଳା ମଉଛବ, ଟ୍ରକ୍ ରହଣି ସ୍ଥଳ,ବସ୍ଷ୍ଟାଣ୍ଡ ଆଦି ସ୍ଥାନରେ ବୁଲିବୁଲି ମଦ ବିକ୍ରି କରିବ। ପ୍ରଥମ ପର୍ଯ୍ୟାୟରେ ଏହିପରି ୨୦ଟି ଗାଡ଼ିକୁ ଲାଇସେନ୍ସ ଦିଆଯିବ। ଏହା ଭୁବନେଶ୍ବର, କଟକ ଓ ଏହାର ଆଖପାଖ ଅଞ୍ଚଳରେ ବୁଲିବ। ସୁରକ୍ଷା ପାଇଁ ପ୍ରତି ଭ୍ରାମ୍ୟମାଣ ମଦ ଦୋକାନକୁ ମୋଟା ତାରଜାଲିରେ ଆଚ୍ଛାଦନ କରାଯିବ ଓ ଏହା ସହ କମିଶନରେଟ୍ ପୁଲିସ୍‌ର ଦୁଇଜଣ ସଶସ୍ତ୍ର କନଷ୍ଟେବଲ୍ ରହିବେ। ଏହି ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟସାରା ଏହି ପରି ୭୦୦ ଭ୍ରାମ୍ୟମାଣ ମଦ ଗାଡ଼ିକୁ ଲାଇସେନ୍ସ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।

ଅନ୍ୟପଟେ ଚୋରା ମଦ କାରବାର ଓ ବିଷାକ୍ତ ମଦ ଜନିତ ମୃତ୍ୟୁକୁ ଦୂର କରିବା ପାଇଁ ତାଙ୍କ ଅମଳରେ ସେ ଏଭଳି ଭ୍ରାମ୍ୟମାଣ ମଦ ଦୋକାନର ପ୍ରସ୍ତାବ ରଖିଥିଲେ ବୋଲି ପୂର୍ବତନ ଅବକାରୀ ମନ୍ତ୍ରୀ ଦାମ ରାଉତ କହିଛନ୍ତି। ମଦ୍ୟପମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଏହ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି।

ନିର୍ବାଚନ ବେଳେ ସରକାରୀ ଦଳ ପାଇଁ ଏହି ଭ୍ରାମ୍ୟମାଣ ମଦ ଗାଡ଼ି ଟଙ୍କା ବୋହିବାରେ ସହାୟକ ହେବ କହି ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଜନବିରୋଧୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜସ୍ବ ବଢ଼ାଇବା ପାଇଁ ନବୀନ ସରକାର କେତେ ନିମ୍ନ ସ୍ତରକୁ ଯାଇପାରନ୍ତି ଏହା ତାହାର ସଦ୍ୟତମ ଉଦାହରଣ ବୋଲି ସେ କହିଛନ୍ତି। ସରକାର ତୁରନ୍ତ ଏଭଳି ନିଷ୍ପତ୍ତିରୁ ଓହରି ଯାଆନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।

ଧର୍ମେନ୍ଦ୍ରଙ୍କ ସମାଲୋଚନାର ଉତ୍ତର ରଖିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି, ଗାଁ ଗାଁରେ ଏଲ୍‌ପିଜି ବିତରଣ କେନ୍ଦ୍ର ଖୋଲି କେନ୍ଦ୍ର ସରକାର କେବଳ ରାଜସ୍ବ ବୋହିନେବେ। ଆମେ ରାଜସ୍ବ ଆଦାୟ କଲା ବେଳକୁ ତାଙ୍କର କିଆଁ ମୁଣ୍ଡବ୍ୟଥା ହେଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ଆବଶ୍ୟକ ପଡ଼ିଲେ କେନ୍ଦ୍ରର ଉଜ୍ଜ୍ବଳାଯୋଜନା ଭଳି ରାଜ୍ୟରେ ନିର୍ଜଳାଯୋଜନା ମାଧ୍ୟମରେ ବିପିଏଲ୍ ପରିବାରକୁ ମାଗଣା ମଦ ଯୋଗାଇବା ବାବଦରେ ତାଙ୍କ ସରକାର ଚିନ୍ତା କରିବେ ବୋଲି ଶ୍ରୀ ରାଉତ କହିଛନ୍ତି।

Leave a Reply

Your email address will not be published. Required fields are marked *