•  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦ୍ବାରା ପ୍ରତିଷ୍ଠିତ ହେବାକୁ ଥିବା ଜିଓ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ପିଏଚ୍‌ଡି ଡିଗ୍ରୀ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପୁଅ ପାଠ ପଢ଼ିବେ। ଇତି ମଧ୍ୟରେ ରାହୁଳ ତାଙ୍କ ପୁଅ ସହ ଆସି ଜିଓ ଇନଷ୍ଟିଚ୍ୟୁଟରେ ନାମ ଲେଖାଇ ଯାଇଛନ୍ତି।

ଆପଣ ଏଭଳି ଖବର ପଢ଼ି ଆଶ୍ଚର୍ଯ୍ୟ-ଚକିତ ହେଉଥିବେ ନିଶ୍ଚୟ। ତେବେ ଏ କଥା ଶତ ପ୍ରତିଶତ ସତ। ବିଶ୍ବରେ ପ୍ରଥମ ଥର ପାଇଁ ଟାଇମ୍‌ ଟ୍ରାଭେଲ ମେସିନ୍‌ (ସମୟ ଯାତ୍ରା ଯନ୍ତ୍ର) ସଫଳତାର ସହ ଉପଯୋଗ କରିଥିବା ଜିଓ ଇନଷ୍ଟିଚ୍ୟୁଟ୍‌ ଟାଇମ୍‌ ଟ୍ରାଭେଲ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ନିଜ ଭବିଷ୍ୟତର ଉତ୍କର୍ଷମୟ ସଫଳତା ଦେଖାଇ ‘ଉତ୍କର୍ଷ ସଂସ୍ଥାନ’ର ବିରଳ ମାନକ ହାସଲ କରିଛି। ଟାଇମ୍‌ ଟ୍ରାଭେଲ ମାଧ୍ୟମରେ ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ନିଜର ନାତୁଣୀ ଆରାଧ୍ୟାର ଭବିଷ୍ୟତକୁ ଯାଇ ତାକୁ ଜିଓ ଇନଷ୍ଟିଚ୍ୟୁଟରେ ମଧ୍ୟ ନାମ ଲେଖାଇଛନ୍ତି। ମୋଦି ଭବିଷ୍ୟତରେ ପିଏଚଡି ଗ୍ରହଣ କରୁଥିବାର ଫଟୋ ମଧ୍ୟ ଏହି ଯନ୍ତ୍ରମାଧ୍ୟମରେ ମିଳିସାରିଛି।

ଏହି ଯୁଗାନ୍ତକାରୀ ଯନ୍ତ୍ରକୁ ବ୍ୟବହାର କରି ଭବିଷ୍ୟତରେ ପୁତ୍ର ବିବାହ କରୁଥିବାର ପ୍ରମାଣ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାହୁଳ ଏ କଥା ଜାଣିବାପରେ ଟାଇମ୍‌ ମେସିନ୍‌ ବ୍ୟବହାର କରି ନିଜର ଭାବି ପତ୍ନୀଙ୍କୁ ଭେଟିବା ସହ ପୁଅ ସହ ମଧ୍ୟ ଭେଟ ହୋଇଛନ୍ତି। ୨୦୪୭ ମସିହାକୁ ଯାଇ ସେ ନିଜର ପୁଅକୁ ଜିଓ ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ନାମ ଲେଖାଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଏବେ ମୁମ୍ବାଇ ସ୍ଥିତ ରିଲାଏନ୍ସ କାର୍ଯ୍ୟାଳୟକୁ ବିଶ୍ବର ବିଭିନ୍ନ କୋଣରୁ ନାମୀଦାମୀ ଲୋକଙ୍କର ସୁଅ ଛୁଟିଛି।
ଜିଓ ଇନଷ୍ଟିଚ୍ୟୁଟ୍‌ ଏଯାଏଁ ପ୍ରତିଷ୍ଠା ହୋଇ ନଥିବା ବେଳେ ଆଗାମୀ ୩୦ ବର୍ଷ ଭିତରେ ଏଥିରେ ୮୨ ଲକ୍ଷ ଛାତ୍ର ଛାତ୍ରୀ ନାମ ଲେଖାଇଛନ୍ତି ଓ ୫୭ ଲକ୍ଷ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସାରିଥିବା ସୂଚନା ଦେଇଛନ୍ତି ମୁକେଶ ଅମ୍ବାନୀ।

ଏ ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଟ୍ବିଟ୍‌ ଯୋଗେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ହେଁ, ନରେନ୍ଦ୍ର ମୋଦିଙ୍କୁ ଏହି ଅନୁଷ୍ଠାନ ସୌଜନ୍ୟମୂଳକ ପିଏଚ‌ଡି ଡିଗ୍ରୀ ଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜିଓ ଫୋନ୍‌ ଭଳି ବହୁବିଧ ମାଗଣା ଓ ଶସ୍ତା ସୁବିଧା ଉପଲବ୍ଧ କରାଇବ ଜିଓ ଇନଷ୍ଟିଚ୍ୟୁଟ୍। ଇନଭିଟେସନ୍‌ ଅଫର ମାଧ୍ୟମରେ ପ୍ରଥମ ବର୍ଷ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ମାତ୍ର ୧୨ ଶହ ଟଙ୍କା ଆଡମିଶନ ଦେୟ ଭିନ୍ନ ଆଉ କିଛି ଦେବାକୁ ପଡ଼ିବନାହିଁ। ଏକ ବର୍ଷ ପର୍ଯ୍ୟନ୍ତ ଯେ କୌଣସି କ୍ଲାସରେ ଶିକ୍ଷାଦାନ ମାଗଣା କରାଯାଇଥିବା ବେଳେ ତିନି ବର୍ଷ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ବ୍ୟବସ୍ଥା ରହିଛି।

ପାଠ ପଢ଼ି ଚାକିରି ପାଇ ପାରିନଥିବା ମେଧାବୀ ଛାତ୍ରଛାତ୍ରୀମାନେ ଏହି ଅନୁଷ୍ଠାନର ପକୁଡ଼ି ଡିପ୍ଲୋମା ଓ ପକୁଡ଼ି ସାର୍ଟିଫିକେଟ୍‌ କୋର୍ସ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ଏହି ପାଠ୍ୟକ୍ରମ ପାଇଁ କୌଣସି କୋର୍ସ ଫି ନାହିଁ। ତେବେ କୋର୍ସ ପାଇଁ ବ୍ୟବହୃତ ବେସନ, ତେଲ ଓ ଅନ୍ୟାନ୍ୟ ସାମଗ୍ରୀ କେବଳ ରିଲାଏନ୍ସ ଫ୍ରେସ୍‌ ଷ୍ଟୋରରୁ କିଣିବାକୁ ହେବ ବୋଲି ଜିଓ କର୍ତୃପକ୍ଷ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *