•  
  •  
  •  
  •  
  •  
  •  
  •  
  •  
  •  

 ପରିବେଶ ଓ ଇନ୍ଧନ ସଂରକ୍ଷଣର ବାର୍ତ୍ତା ଦେବେ ମୋଦି
ସାଇକେଲକୁ ଜାତୀୟ ଯାନ ଘୋଷଣା କରିପାରନ୍ତି
କଟକ ଓ ଭୁବନେଶ୍ବରରେ ଅଣ୍ଡା-ଟମାଟୋ ବିକ୍ରି ବନ୍ଦ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସୁଥିବା ବେଳେ ତାଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ମୋଦି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକ ସଭାସ୍ଥଳ ପର୍ଯ୍ୟନ୍ତ ୨ କିଲୋମିଟର ବାଟ ସାଇକେଲ ଯୋଗେ ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।ତୈଳ ଦର ବୃଦ୍ଧି ନେଇ ଦେଶବ୍ୟାପୀ ଜନ ଅସନ୍ତୋଷ ଲାଗି ରହିଥିବା ବେଳେ ମୋଦିଙ୍କ ଏଭଳି ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କହିଛନ୍ତି। ଲୋକମାନେ ଅଳସୁଆ ନ ହୋଇ ସାଇକେଲ ଭଳି ପରିବେଶ ଉପଯୋଗୀ ଓ ଇନ୍ଧନବିହୀନ ଯାନ ଆପଣେଇବା ଉଚିତ ବୋଲି ଜୁଏଲ ପରାମର୍ଶ ଦେଇଛନ୍ତି।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଜୁଏଲ ଓରାମ କହିଛନ୍ତି,

ହୀରାକୁଦ ଡ୍ୟାମ ଓ ଜୋବ୍ରା ଆନିକଟ ଠାରେ ମହାନଦୀ ଜଳକୁ ଅଟକାଇ ରାଜ୍ୟ ସରକାର ଜାଣିଶୁଣି ନଦୀ ଶର୍ଯ୍ୟାକୁ ଶୁଖିଲା କରିଛନ୍ତି। ଛତିଶଗଡ଼ ବ୍ୟାରେଜରୁ ଜଳ ଛାଡ଼ିବା ପାଇଁ ଦାବି କରିବା ପୂର୍ବରୁ ଓଡ଼ିଶା ସରକାର ହୀରାକୁଦ ଓ ଜୋବ୍ରାରୁ ଜଳ ଛାଡ଼ି ଉଦାହରଣ ସୃଷ୍ଟି କରନ୍ତୁ।

ମୋଦିଙ୍କ କଟକ ଗସ୍ତ ଅବସରରେ ତାଙ୍କୁ ଜୋବ୍ରା, ମୁଣ୍ଡଳୀ ଓ ନରାଜ ଆନିକଟ ଦେଖାଇ କିଭଳି ମହାନଦୀ ଶଯ୍ୟାରେ ପର୍ଯ୍ୟାପ୍ତ ପାଣି ଅଛି ତାହାର ପ୍ରମାଣ ଦିଆଯିବ ବୋଲି ରାଜ୍ୟ ବିଜେପି କହିଛି। ଏହା ରାଜ୍ୟ ସରକାର ଓ କଂଗ୍ରେସ ଦଳର ଅସଲ ମୁଖା ଖୋଲିଦେବ ବୋଲି ଜୁଏଲ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସାଇକେଲ ଗସ୍ତକୁ ଦୃଷ୍ଟିରେ ରଖି ଦ୍ବେତନଗରୀରେ ଅଣ୍ଡା ଓ ଟମାଟୋ ବିକ୍ରିକୁ କଡ଼ଡ଼ାକଡ଼ି ନିଷେଧ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସାଇକେଲ ଶୋଭାଯାତ୍ରାରେ ପରିବେଶକୁ ଭଲ ପାଉଥିବା ଓ ଇନ୍ଧନ ସଂରକ୍ଷଣକୁ ଗୁରୁତ୍ବ ଦେଉଥିବା ହଜାର ହଜାର ଜନତା ନିଜ ନିଜର ସାଇକେଲ ଧରି ଯୋଗଦେବାକୁ ବିଜେପି ଅନୁରୋଧ ଜଣାଇଛି।

ସରକାରୀ ସୂତ୍ରରୁ କୌଣସି ସୂଚନା ନଥିଲେ ହେଁ ସାଇକେଲକୁ ଖୁବ୍‌ ଶୀଘ୍ର ଜାତୀୟ ଯାନ ଭାବେ ଘୋଷଣା କରିବାକୁ ମୋଦି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *