•  
  •  
  •  
  •  
  •  
  •  
  •  
  •  
  •  

ନ୍ୟୁୟର୍କ: ଆମେରିକାରେ ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ଏହି ଓଡ଼ିଆ ପାଇଲଟ। କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ପାକୁଡ଼ିଆ ଗ୍ରାମର ହରିହର ସୁବୁଦ୍ଧିଙ୍କ ସାନପୁଅ ପ୍ରମୋଦ କୁମାର ସୁବୁଦ୍ଧି ଗତ ଦୁଇବର୍ଷ ଧରି ଆମେରିକାର ଅନ୍ତର୍ଦେଶୀୟ ବିମାନ ସେବା ଜେଟବ୍ଲୁରେ ସହପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି।

ନିକଟରେ ନିଜର ସୁବୁଦ୍ଧି ଓ ସାହସ ବଳରେ ଆସନ୍ନ ଦୁର୍ଘଟଣାରୁ ବିମାନକୁ ବର୍ତ୍ତାଇବା ସହ ୧୮୨ ଜଣ ଯାତ୍ରୀଙ୍କର ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି ପ୍ରମୋଦ।

ଘଟଣାଟି ଘଟିଛି ଏହିପରି। ଚଳିତ ମେ ମାସ ୪ ତାରିଖ ପାହାନ୍ତାରୁ ଜେଟବ୍ଲୁର ବୋଇଂ ୩୭୪ ବିମାନଟି ବୋଷ୍ଟନରୁ ନ୍ୟୁୟର୍କ ଯାତ୍ରା ଆରମ୍ଭ କରିଥିଲା। ବିମାନରେ ୧୭୬ ଜଣ ଯାତ୍ରୀ ଓ ୬ ଜଣ ବିମାନ କର୍ମଚାରୀ ଥିଲେ। କର୍ମଚାରୀଙ୍କ ମଧ୍ୟରେ ମୁଖ୍ୟ ପାଇଲଟ ହାରି ଚାର୍ଲସନ୍, ସହ ପାଇଲଟ ପ୍ରମୋଦ ଓ ଅନ୍ୟ ଚାରିଜଣ ପରିଚାରିକା ଥିଲା। ବୋଷ୍ଟନ ଛାଡ଼ିବାର ପ୍ରାୟ ୧୭ ମିନିଟ ପରେ ଏକ ପାର୍ବତ୍ୟାଞ୍ଚଳ ଉପର ଦେଇ ବିମାନଟି ଯାତ୍ରା କରୁଥିବା ବେଳେ ହଠାତ ମୁଖ୍ୟ ପାଇଲଟ ହାରି ହୃଦଘାତର ଶିକାର ହୋଇ ଅସୁସ୍ଥ ହୋଇପଡ଼ିଲେ। ପ୍ରମୋଦ ବିମାନକୁ ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ୫ ହଜାର ଫୁଟ ଉପରେ ଯାଉଥିବା ବିମାନ ହଠାତ ୨୬୦୦ ଫୁଟ ତଳକୁ ଖସି ଆସିଥିଲା। ମାତ୍ର କେତୋଟି ସେକେଣ୍ଡର ବିଳମ୍ବ ହୋଇଥିଲେ ବିମାନଟି ପାହାଡ଼ରେ ଧକ୍କା ଖାଇଥାଆନ୍ତା। ଠିକ ଏମିତି ସମୟରେ ସିନେମା ଶୈଳୀର ସାହସିକତା ଦେଖାଇଲେ ପ୍ରମୋଦ।

 

ପ୍ରମୋଦ ବିମାନକୁ ହଠାତ ଉପରକୁ ଉଠାଇବାରେ ଅସମର୍ଥ ଥିଲେ। ତେବେ ଉଭୟ ପାର୍ଶ୍ବରେ ଖୁବ ନିକଟରେ ପାହାଡ଼ ଥିଲା। ପାହାଡ଼ ମଧ୍ୟରେ ଅଣଓସାରିଆ ଆକାଶମାର୍ଗରେ ବିମାନ ଯାତତ୍ରା କରୁଥିବା ବେଳେ ଯେ କୌଣସି ମୁହୂର୍ତ୍ତରେ ଏହା ପାହାନ ସହ ଧକ୍କା ଖାଇବାର ସମ୍ଭାବନା ଥିଲା। ଏଭଳି ସମୟରେ ବିମାନକୁ ବାଁ ଡାହାଣ କରି, ବିଭିନ୍ନ କଡ଼କୁ ନୁଆଁଣିଆ କରାଇ ଓ ବିମାନର ଡେଣାକୁ ଯଥାସମ୍ଭବ ପାହାନ ଠାରୁ ଦୂରରେ ରଖିବାକୁ ଚେଷ୍ଟା କରି ପ୍ରାୟ ୧୨ ମିନିଟର ଯାତ୍ରା ପରେ ପାର୍ବତ୍ୟାଞ୍ଚଳ ବାହାରକୁ ଆସିଥିଲେ ପ୍ରମୋଦ।

ନ୍ୟୁୟର୍କରେ ପହଞ୍ଚିବା ପରେ ହାରିଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ଅନ୍ୟପଟେ ପ୍ରମୋଦଙ୍କ ବିରଳ ବିମାନଚାଳନା ସମସ୍ତଙ୍କୁ ଚକିତ କରିଛି। ଆମରିକା ଘରୋଇ ବିମାନ ସେବା ସଂଘ ପକ୍ଷରୁ ପ୍ରମୋଦଙ୍କ କାର୍ଯ୍ୟକୁ ବିରଳରୁ ବିରଳତମ ବୋଲି କୁହାଯାଇଛି। ଜେଟବ୍ଲୁ ତୁରନ୍ତ ତାଙ୍କୁ ପଦୋନ୍ନତି ଦେଇ ମୁଖ୍ୟ ପାଇଲଟ କରାଇଛି।

ଗତକାଲି ନ୍ୟୁୟର୍କ ଠାରେ ଜେଟ୍‌ ବ୍ଲୁ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଭେଟି ନିଜର ଅନୁଭୂତି ବଖାଣିଛନ୍ତି ପ୍ରମୋଦ। ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ ଶେଷରେ ଏଭଳି ସାହସିକତା ପଛର ରହସ୍ୟ ଉନ୍ମୋଚନ କରିଛନ୍ତି ପ୍ରମୋଦ। ଅଣଓସାରିଆ ପାହାଡ଼ିଆ ରାସ୍ତାରେ ଏଭଳି କିପରି ସେ ବିମାନ ଉଡ଼ାଇବାରେ ସଫଳ ହେଲେ ବୋଲି ପ୍ରଶ୍ନରେ କାନ୍ଦି ପକାଇଥିଲେ ପ୍ରମୋଦ।

ନିଜର ପୁରୁଣା ଦିନର ଓଡ଼ିଶା ସ୍ମୃତି ମନେପକାଇ ପ୍ରମୋଦ କହିଥିଲେ ଯେ ପ୍ରାଥମିକ ଜୀବନରେ ସେ ବହୁ ସଂଘର୍ଷ କରିଛନ୍ତି। ପାଇଲଟ୍‌ ବୃତ୍ତିକୁ ଆସିବା ପୂର୍ବରୁ ସେ କଟକ ସହରରେ ଅଟୋ ଚଲାଉଥିଲେ। କଟକର ଅଣଓସାରିଆ ଗଳିରେ ଅଟୋ ଚଲାଇବାର ଅଭିଜ୍ଞତା ତାଙ୍କୁ ଏଭଳି ବିମାନ ଚାଳନା ପାଇଁ ପ୍ରେରିତ କରିଛି ବୋଲି କାନ୍ଦିକାନ୍ଦି କହିଥିଲେ ପ୍ରମୋଦ।

ପ୍ରମୋଦଙ୍କ ବୟାନ ପରେ ଆମେରିକାର ବିଭିନ୍ନ ବିମାନ ସେବା ସଂସ୍ଥା ଏବେ ପାଇଲଟ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦୁଇମାସ କଟକରେ ଅଟୋଚାଳନା ସାମିଲ କରିବାକୁ ଯୋଜନା କରୁଛନ୍ତି। ଅନ୍ୟପଟେ ଭାରତୀୟ ବେସାମରିକ ବିମାନ ଚଳାଚଳା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। କେବଳ କଟକ ନୁହେଁ ଦେଶରେ ଏଭଳି ୨୦ରୁ ଅଧିକ ସହର ଅଛି ଯେଉଁଠି ପାଇଲଟମାନେ ପ୍ରଶିକ୍ଷଣ ନେଇପାରିବେ ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି।

Leave a Reply

Your email address will not be published. Required fields are marked *