•  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ଭାରତରତ୍ନ ପରେ ଦେଶର ସର୍ବୋଚ୍ଚ ସମ୍ମାନ ଭାବେ ଜଣାଶୁଣା ପଦ୍ମ ସମ୍ମାନ ଢାଞ୍ଚାରେ ଓଡ଼ିଶାରେ ଶଙ୍ଖ ସମ୍ମାନ ପ୍ରଚଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଭଳି ରାଜ୍ୟର ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଜ୍ଞ ଓ ସମାଜସଂସ୍କାରକମାନଙ୍କୁ ଶଙ୍ଖଶ୍ରୀ, ଶଙ୍ଖଭୂଷଣ ଓ ଶଙ୍ଖବିଭୂଷଣ ଉପାଧି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଏହି ସମ୍ମାନ ପ୍ରଚଳନ ନେଇ ଖୁବ୍‌ ଶୀଘ୍ର କ୍ୟାବିନେଟରେ ନିଷ୍ପତ୍ତି ହେବ ଓ ସାଧାରଣ ନିର୍ବାଚନ ପୂର୍ବରୁ ଏ ନେଇ ବିଧିବଦ୍ଧ ଘୋଷଣା ହେବାର ସମ୍ଭାବନା ରହିଛି।

କେନ୍ଦ୍ରରେ ଶାସନ କରୁଥିବା ବିଜେପିର ଦଳୀୟ ସଙ୍କେତ ପଦ୍ମ ହୋଇଥିବା ବେଳେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ଭଳି ମହତ୍ତର ଉପାଧି ପରୋକ୍ଷରେ ଶାସକ ଦଳର ପ୍ରଚାର କରୁଥିବା ଅଭିଯୋଗ ହେଉଛି। ପଦ୍ମ ସମ୍ମାନର ନାମ ପରିବର୍ତ୍ତନ କରି ହସ୍ତ (ହଥାକ୍ରମେ ହସ୍ତଶ୍ରୀ, ହସ୍ତଭୂଷଣ ଓ ହସ୍ତବିଭୂଷଣ) କରାଯାଉ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାବି କରୁଥିବା ବେଳେ ହସ୍ତ ନୁହେଁ ବରଂ ଏହାର ନାମ ହସ୍ତୀ ରଖାଯାଉ ବୋଲି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମତ ରଖିଛନ୍ତି। ସମ୍ମାନର ନାମ ଘଡ଼ିଶ୍ରୀ ରଖାଗଲେ ସେ ମହାମେଣ୍ଟରେ ପ୍ରଧାନମନ୍ତ୍ରୀ ଆଶୟୀ ଦୌଡ଼ରୁ ଓହରିଯିବେ ବୋଲି ଏନସିପି ସଭାପତି ଶରଦ ପାଓ୍ବାର କହିଛନ୍ତି।

ଅନ୍ୟପଟେ ସମ୍ମାନର ନାମ ଝାଡ଼ୁଶ୍ରୀ ନରଖିଲେ ସେ ଯନ୍ତରମନ୍ତରରେ ଧାରଣାରେ ବସିବେ ବୋଲି ଧମକ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ତୀର ହେଉଛି ଆଦିମ ଜନତା ତଥା ବୀରତ୍ବର ପ୍ରତୀକ। ତେଣୁ ଏଭଳି ଏକ ରାଷ୍ଟ୍ରୀୟ ଉପାଧିର ନାମ ତୀରଶ୍ରୀ ରଖାଯାଉ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ନିତୀଶ କୁମାର କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ଓଡ଼ିଶାରେ ଶଙ୍ଖଶ୍ରୀ, ଶଙ୍ଖଭୂଷଣ ଓ ଶଙ୍ଖବିଭୂଷଣ ଉପାଧି ଦିଆଯିବାର ଖବର ଜଣାପଡ଼ିବା ପରେ ପୁରସ୍କାର ଆଶାୟୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସ୍ଥାନୀୟ ବିଧାୟକଙ୍କ ସୁପାରିଶରେ ବିଭିନ୍ନ ନିର୍ବାଚନ ମଣ୍ଡଳିରୁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ରାଜ୍ୟ ସଂସ୍କୃତି ବିଭାଗକୁ ପଠାଯିବ। ଜିଲ୍ଲାପାଳମାନେ ମଧ୍ୟ ଗୋଟିଏ ଲେଖାଏଁ, ରାଜ୍ୟପାଳ ତିନୋଟି ଓ ମୁଖ୍ୟମନ୍ତ୍ରୀ ଅତିରିକ୍ତ ୫ଟି ନାମ ପଠାଇପାରିବେ। ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଚୂଡ଼ାନ୍ତ ସମ୍ମାନ ତାଲିକା ଘୋଷଣା ହେବ। ଏ ସମ୍ମାନ ଆଗରେ ପଦ୍ମ ପୁରସ୍କାର ବି ଫିକା ପଡ଼ିଯିବ ବୋଲି ଜରଷ ବିଜେଡି ମୁଖପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *