•  
  • 1
  •  
  •  
  •  
  •  
  •  
  •  
  •  
    1
    Share

ଭୁବନେଶ୍ବର: ଆଜି ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ସହ ୨୦ ଜଣ ମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି। ତେବେ ଏଥର ନିଶ୍ଚୟ ମନ୍ତ୍ରୀପଦ ପାଇବେ ବୋଲି ଆଶା ବାନ୍ଧି ବସିଥିବା ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ନିରାଶ ହେବାକୁ ପଡ଼ିଛି।
ପୁରୀ ଜିଲ୍ଲାରୁ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶଙ୍କୁ ମନ୍ତ୍ରୀପଦ ମିଳିଛି। ଅନ୍ୟପଟେ ନିଜର ମନ୍ତ୍ରୀପଦ ନ ମିଳିବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୋଷାରୋପ କରିଛନ୍ତି ମହାରଥୀ।

ମହାରଥୀଙ୍କ କହିବା କଥା, ତାଙ୍କୁ ମନ୍ତ୍ରୀପଦ ମିଳିବା ସ୍ଥିର ହୋଇ ସାରିଥିଲା। ନିଜର ଶାଳୀନତା, ଭଦ୍ରାମୀ ଓ ସଂସ୍କୃତିସମ୍ପନ୍ନ ଆଚରଣ-ଉଚ୍ଚାରଣ ପାଇଁ ପ୍ରସିଦ୍ଧ ମହାରଥୀ ଏଥର ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ହେବା ନେଇ ଆଶାବାଦୀ ଥିଲେ। ତେବେ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷଡ଼ଯନ୍ତ୍ର ଯୋଗୁଁ ସେ ମନ୍ତ୍ରୀପଦରୁ ବଞ୍ଚିତ ହେଲେ ବୋଲି କ୍ଷୋଭପ୍ରକାଶ କରିଛନ୍ତି ମହାରଥୀ।

ମହାରଥୀ ଆମକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ସେ ମୋବାଇଲ ଫୋନରେ ବିଏସଏନଏଲ୍‌ ସିମ୍ ବ୍ୟବହାର କରନ୍ତି। ନରେନ୍ଦ୍ର ମୋଦି ଜାଣିଶୁଣି ରିଲାଏନ୍ସ ଜିଓକୁ ଅଧିକ ଲାଭବାନ କରିବା ଲାଗି ବିଏସଏନଏଲକୁ ଦିନକୁ ଦିନ ନିମ୍ନଗାମୀ କରାଉଛନ୍ତି। ଆଜି ମନ୍ତ୍ରୀପଦ ଲାଗି ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ନବୀନ ନିବାସରୁ ଫୋନ ଆସୁଥିବା ଜାଣି ମୋଦିଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଅଞ୍ଚଳରେ ଜାଣିଶୁଣି ବିଏସଏନଏଲ୍‌ ନେଟଓ୍ବର୍କକୁ ଧିମା କରାଯାଇଥିଲା ବୋଲି ମହାରଥୀ ଅଭିଯୋଗ ବାଢ଼ିଛନ୍ତି।

ମହାରଥୀ ପୁଣି କହିଛନ୍ତି ଯେ ତାଙ୍କୁ ନବୀନ ନିବାସରୁ ଫୋନ ଆସିଥିଲା। କିନ୍ତୁ ବିଏସଏନଏଲ୍‌ ନେଟଓ୍ବର୍କ ଦୁର୍ବଳ କାରଣରୁ ସେ କଥା ହୋଇପାରିଲେ ନାହିଁ। ମନ୍ତ୍ରିମଣ୍ଡଳ ଚୂଡ଼ାନ୍ତ ତାଲିକା ରାଜଭବନକୁ ଦେବାକୁ ଥିବାରୁ ତାଙ୍କ ନାମକୁ ବାଦ ଦେଇ ଦଳ ମୁଖିଆ ତାଲିକା ପ୍ରସ୍ତୁତ କରିଛନ୍ତି। ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ଓ ସେ ମନ୍ତ୍ରୀପଦ ପାଇବେ ବୋଲି ମହାରଥୀ ଦୃଢ଼ୋକ୍ତି ବାଢ଼ିଛନ୍ତି।

ସୂଚନାଯୋଗ୍ୟ, ବିଏସଏନଏଲ୍‌ ନେଟଓ୍ବର୍କ ସେବାରେ କ୍ଷୁବ୍ଧ ହୋଇ ମହାରଥୀ ମୋବାଇଲ ନମ୍ବର ପୋର୍ଟିଂ ପାଇଁ ଆବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *